Before Header

ଭୁଲିଗଲେ ରଥ ଅବ୍ୟବସ୍ଥା, ସବୁ ମାତିଛନ୍ତି ଡ୍ରେସକୋଡ ପଛରେ

0 513

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଏବର୍ଷର ରଥଯାତ୍ରାରେ ଯାହା ଅବ୍ୟବସ୍ଥା ହେଲା ନିକଟ ଅତୀତରେ ସେଭଳି କେବେ ବି ହୋଇ ନଥିଲା । ରଥଯାତ୍ରାଠୁ ନେଇ ନୀଳାଦ୍ରିବିଜେ ଯାଏ ପ୍ରତିଥର ଗୋଟିଏ ପରେ ଗୋଟିଏ ବିଭ୍ରାଟ ସାମ୍ନାକୁ ଆସିଥିଲା । ମହାପ୍ରଭୁ ପହଣ୍ଡି ବେଳେ ଝୁଙ୍କି ପଡିଲେ । ସୂର୍ଯ୍ୟାସ୍ତ ପରେ ରଥଟଣା ହେଲା । ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଉପାସ ରହିଲେ । ହେରା ପଞ୍ଚମୀ ନୀତି ଷଷ୍ଠୀରେ ହେଲା । ବିଭ୍ରାଟର ତାଲିକା ଖୁବ୍ ଲମ୍ବା । ଆଶା ଥିଲା, ଏଭଳି ବିଭ୍ରାଟକୁ ଗମ୍ଭୀରତାର ସହ ନେଇ ଶ୍ରୀମନ୍ଦିର ପ୍ରଶାସନ ଯାତ୍ରା ଶେଷ ପରେ ସମୀକ୍ଷା କରିବ। ଯେଉଁମାନେ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବିଶୃଙ୍ଖଳା କଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । କିନ୍ତୁ, ଆଶ୍ଚର୍ଯ୍ୟର କଥା ଦିଅଁ ଦେଉଳ ଭିତରକୁ ଯିବାର ସପ୍ତାହରୁ ଅଧିକ ହେଲାଣି । ସମୀକ୍ଷା ତ ଦୂରର କଥା, କେହି ସେ ବିଷୟରେ ପଦୁଟିଏ କଥା ବି ହେଉ ନାହାନ୍ତି । ଶ୍ରୀମନ୍ଦିର ପ୍ରଶାସନ ଯେମିତି ରଥବିଭ୍ରାଟକୁ ଭୁଲି ଗଲାଣି । କାହିଁକି ନା ଏବେ ନୂଆ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ।

ଏଇ ଚର୍ଚ୍ଚା ସେଇ ଦିନ ଆସିଲା, ଯେବେ ସେବାୟତମାନେ ପ୍ରେସମିଟ୍ କରି କହିଲେ, ଘୋଷଯାତ୍ରା ସଫଳତାର ସହ ଶେଷ ହୋଇଛି । ଆଉ ଅଚାନକ ଗୋଟେ ନୂଆ ପ୍ରସଙ୍ଗ ଯୋଡିଦେଲେ, ଶ୍ରୀମନ୍ଦିର ଭିତରକୁ ଯିବାକୁ ଭକ୍ତଙ୍କ ପାଇଁ ଲାଗୁହେଉ ଡ୍ରେସକୋଡ । ଭକ୍ତଙ୍କ ପାଇଁ ଡ୍ରେସକୋଡ ଲାଗୁହେବା ପ୍ରସ୍ତାବ ଗ୍ରହଣୀୟ କି ନୁହେଁ, ତାହା ଆଗକୁ ବିଭିନ୍ନ ବୈଠକରେ ସ୍ପଷ୍ଟ ହେବ । ଏକଥାରେ କେହି ଅସହମତ ହେବେ ନାହିଁ, ମନ୍ଦିର ଭିତରକୁ ପ୍ରବେଶ ବେଳେ ଭକ୍ତମାନେ ଶାଳୀନତା ସମ୍ପନ୍ନ ପୋଷାକ ପରିଧାନ କରିବା ଉଚିତ । ତେବେ ଆଜିର ଯୁଗରେ ତାହା ଯେ ନିହାତି ଧୋତି, ଗାମୁଚ୍ଛା ଓ ମଠା ହେବା ଉଚିତ୍ ତାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିପାରେ । କିନ୍ତୁ, ଏହି ପ୍ରସଙ୍ଗ ଯେଉଁ ସମୟରେ ଆସିଛି, ତାହା ରଥଯାତ୍ରା ବିଭ୍ରାଟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଦୂରେଇ ଦେବାରେ ସମର୍ଥ ହୋଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଉ ରଥବିଭ୍ରାଟ ଉପରେ ପ୍ରତିକ୍ରିୟା ଦେଉନାହାନ୍ତି, ଡ୍ରେସକୋଡ ଉପରେ ମତ ରଖୁଛନ୍ତି । ରଥ ବିଭ୍ରାଟ କଥା ଉଠୁ ସେବାୟତମାନେ ମଧ୍ୟ ଚାହାନ୍ତିନାହିଁ । ଯେତେବେଳେ ପ୍ରଶାସନ ଓ ସେବକମାନେ ଗୋଟିଏ ଇସ୍ୟୁକୁ ଡାଇଭର୍ଟ କରି ଆଉ ଗୋଟିଏ ଇସ୍ୟୁକୁ ଜନ୍ମ ଦେଇଛନ୍ତି, ସେତେବେଳେ ମିଡିଆ ମଧ୍ୟ ଚିରାଚରିତ ଢଙ୍ଗରେ ଶୀଘ୍ର ଭୁଲିବା ଅଭ୍ୟାସରେ ରଥରେ ଘଟିଥିବା ସବୁକଥା ଭୁଲି ଏବେ ଭକ୍ତ କ’ଣ ପିନ୍ଧି ମନ୍ଦିରକୁ ଯିବା ଉଚିତ୍ ତା’ ଉପରେ ବିତର୍କ କରୁଛି । ଡ୍ରେସକୋଡ ଉପରେ ବିତର୍କ ହେବାରେ କାହାର ଆପତ୍ତି ହୁଅନ୍ତା ନାହିଁ, ଯଦି ଏହା ତା’ଠୁ ବି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସାଇଡ୍ କରି ନଦିଅନ୍ତା । ହଁ, ଏହା ବି ସ୍ୱାଭାବିକ, କୌଣସି ଘଟଣା ସରିଯିବା ପରେ ପ୍ରଶାସନ ତାକୁ ଉଖାରିବାକୁ ଚାହୁଁନଥିବ । କୌଣସି ଗୋଷ୍ଠୀଙ୍କୁ ଅସନ୍ତୁଷ୍ଟ କରିବାକୁ ପ୍ରଶାସନ ଉଚିତ୍ ମଣୁନଥିବ । କିନ୍ତୁ, ଆମେ ଭୁଲିଯିବା ଉଚିତ୍ ନୁହେଁ, ସବୁଠୁ ଉଦ୍ଧ୍ୱର୍ରେ ହେଉଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ ।

ତାଙ୍କ ନୀତି, ତାଙ୍କ ସେବା ପାଇଁ ଯାହା ଦାୟିତ୍ୱ ମିଳିଛି, ତାକୁ ଠିକ୍ ଭାବେ ତୁଲାଇବା ନିହାତି ଆବଶ୍ୟକ । ଏଥିପାଇଁ ସମସ୍ତଙ୍କ ଉତ୍ତରଦାୟିତ୍ୱ ଧାର୍ଯ୍ୟ ହୋଇଛି । ଯେତେ ସେବା କଥା କୁହାଗଲେ ମଧ୍ୟ ସେଥିପାଇଁ ପାରିଶ୍ରମିକ ମିଳୁଛି । ସାରା ବିଶ୍ୱର ଲକ୍ଷ ଲକ୍ଷ ଶ୍ରୀଜଗନ୍ନାଥ ଭକ୍ତ ରଥାରୁଢ ଦିଅଁଙ୍କୁ ଦର୍ଶନ ପାଇଁ ପୁରୀ ଧାଇଁ ଆସନ୍ତି । ଶୃଙ୍ଖଳିତ ଯାତ୍ରା ପାଇଁ ବର୍ଷ ତମାମ ଅନେକବାର ସମନ୍ୱୟ ବୈଠକ ବସେ । ସବୁ ବିଭାଗ ପ୍ରସ୍ତୁତିରେ ଲାଗିପଡ଼ନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ । ତା’ପରେ ବି ବିଭ୍ରାଟ ହେଉଛି । ତା’ବି ଥରେ ନୁହେଁ, ବାର ବାର । ଅବହେଳା ଓ ଅହଙ୍କାର ଚରମସୀମାରେ ପହଞ୍ଚିଛି । ତଥାପି କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ଏନେଇ ସମୀକ୍ଷା ବି ହେଉ ନାହିଁ ।

ଲାଗୁଛି ଯେମିତି, ଯେଉଁମାନଙ୍କ ହାତରେ ଶୃଙ୍ଖଳାର ଡୋରି, ସେହିମାନେ ହିଁ ବିଶୃଙ୍ଖଳା ପଛର କାର୍ପଟଦାର । ନହେଲେ ଭୁଲର କାରଣ ଖୋଜିବାକୁ ପଛଘୁଞ୍ଚା କାହିଁକି? ଯଦି ଆମେ ସ୍ୱୟଂ ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟରେ ବିଶୃଙ୍ଖଳାକୁ ବରଦାସ୍ତ କରୁଛେ, ତା’ ପରୋକ୍ଷରେ ଆଗକୁ ଅଧିକ ବିଶୃଙ୍ଖଳା ପାଇଁ ବିଶୃଙ୍ଖଳାକାରୀଙ୍କୁ ପ୍ରତ୍ସାହିତ କରିବ ନାହିଁ କି? ନା, ଆମେ ସବୁଜାଣି ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ଭବ ନୁହେଁ ବୋଲି ଧରିନେଇଛେ । ଅବଶ୍ୟ ଯାହା ଭଲ ହୁଏ, ତା’ର ଶ୍ରେୟ ନେବାକୁ ସବୁ ହାଁ ହାଁ ହୁଅନ୍ତି । ଯେତେବେଳେ ମିଳିମିଶି ତ୍ରୁଟି କରିଛନ୍ତି, ସେତେବେଳେ କିଏ କାହିଁକି କାହାର ଦୋଷ ଧରିବ ନ୍ୟାୟରେ ଚୁପ୍ ବସିଯାଇଛନ୍ତି । ହେଲେ, କେହି ଦେଖୁ ନଦେଖୁ, ସେଇ ଚକାନୟନ ସବୁ ଦେଖୁଛି, ଏକଥା ଆମେ ଯେମିତି ଭୁଲି ନଯାଉ ।

-କିଶନ ବାରାଇଙ୍କ ରିପୋର୍ଟ 

Leave A Reply

Your email address will not be published.